ମୁଖମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ଦାବି ଉଠାଇ କହିଛନ୍ତି ଯେ, କୋଇଲା ଉତ୍ପାଦନକାରୀ ରାଜ୍ୟ ଗୁଡିକୁ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକରୁ ୨୫ ରୁ ୩୦ ପ୍ରତିଶତ ବିଦ୍ୟୁତ ଶକ୍ତି ମାଗଣା ଯୋଗାଇ ଦିଆଯାଉ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଦାବୀ କେନ୍ଦ୍ର ଶକ୍ତି ସଚିବ ଅଜୟ ଭାଲ୍ଲାଙ୍କ ସହିତ ସଚିବାଳୟଠାରେ ଆଲୋଚନା ବେଳେ ଉପସ୍ଥାପିତ କରିଛନ୍ତି। ଓଡିଶାରେ ବିଦ୍ୟୁତ ଉତ୍ପାଦନ ଓ ବିଦ୍ୟୁତ କରଶ ସମ୍ପର୍କରେ ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତି ସଚିବଙ୍କ ସହିତ ଆଲୋଚନା କରିଥିଲେ।
ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶାକୁ ବିଦ୍ୟୁତ ଶକ୍ତି ଆବଣ୍ଟନ, ଗ୍ରାମ ବିଦ୍ୟୁତ କରଣ, ଅଲଟ୍ରା ମେଗା ବିଦ୍ୟୁତ ପ୍ରକଳ୍ପ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ କୋଇଲା ଉତ୍ପାଦନ ଏବଂ ତାପଜ ବିଦ୍ୟୁତ କେନ୍ଦ୍ରର କୁପ୍ରଭାବ ଓଡିଶାର ପରିବେଶ ଉପରେ ପଡୁଛି। ତେଣୁ ଓଡିଶାର କୋଇଲା ବ୍ୟବହାର କରୁଥିବା କିମ୍ବା ଓଡିଶାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ର ଗୁଡିକ ରାଜ୍ୟକୁ ୨୫ ରୁ ୩୦ ପ୍ରତିଶତ ବିଦ୍ୟୁତ ଶକ୍ତି ମାଗଣାରେ ପ୍ରଦାନ କରନ୍ତୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଶକ୍ତି ସଚିବଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି।