ପ୍ରବାଦ ପୁରୁଷ, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିଜୁ ପଟ୍ଟନାୟକ। କଟକରେ ଜନ୍ମିତ ବିଜୁ ବାବୁ ନିଜ ସୁଦକ୍ଷ ନେତୃତ୍ୱ, ବୀରତା, ସାହସିକତା ତଥା ମାଟି ମା’ର ସେବାରେ ଅତୁଳନୀୟ ଅବଦାନ ପାଇଁ ଚିରସ୍ମରଣୀୟ। ଭାରତୀୟ ରାଜନୈତିକ ଆକାଶରେ ବିଜୁ ପଟ୍ଟନାୟକ ସବୁବେଳେ ଧ୍ରୁବତାରା ହୋଇରହିଛନ୍ତି। ଓଡ଼ିଆ ଯୁବକଯୁବତୀଙ୍କ ଉପରେ ବିଜୁ ବାବୁଙ୍କର ଥିଲା ପ୍ରଗାଢ଼ ବିଶ୍ୱାସ। ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ଭାବନାକୁ ସେ ବହୁ ଆଗରୁ ପରଖି ପାରିଥିଲେ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଶିଳ୍ପ କ୍ଷେତ୍ରରେ ଏକ ବୈପ୍ଳବିକ ଧାରାର ଆବଶ୍ୟକତାକୁ ହୃହୟଙ୍ଗମ କରି ଆମ ରାଜ୍ୟରେ ଅନେକ ଶିଳ୍ପ ପ୍ରତିଷ୍ଠାନର ଗଠନ ଓ ସମ୍ପାଦନ କ୍ଷେତ୍ରରେ ବିଜୁ ବାବୁ ଥିଲେ ଅଗ୍ରଦୂତ।
ବିଜୁ ବାବୁ ଏକାଧାରରେ ଥିଲେ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ପାଇଲଟ୍, ଶିଳ୍ପଦ୍ୟୋଗୀ, ସ୍ୱାଧୀନଚେତା ନେତୃତ୍ୱ ଓ ଦୂରଦୃଷ୍ଟି ସମ୍ମନ୍ନ ବରପୁତ୍ର। ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିକଟତମ ସହଯୋଗୀ ଭାବେ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ହିଁ ଓଡ଼ିଆ ଜାତିର ଅସ୍ମିତା ବଜାୟ ରଖିବା ସହ ଆଧୁନିକ ଓଡ଼ିଶା ଗଠନର ମୂଳଦୁଆ ରଖିଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କଠାରୁ ପ୍ରେରଣା ପାଇ ବିଜୁ ବାବୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ୧୯୪୨ର ଭାରତଛାଡ଼ ଆନ୍ଦୋଳନର ସେ ଥିଲେ ଅନ୍ୟତମ ପୁରୋଧା। ୧୯୪୩ରେ ତାଙ୍କୁ ୨ ବର୍ଷ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥିଲା। ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମ ସମୟରେ ବିପରୀତ ପରିସ୍ଥିତି ମଧ୍ୟରେ ବିଜୁ ବାବୁ ସେଠାକାର ପ୍ରିମିୟରଙ୍କୁ ଉଦ୍ଧାର କରି ନୂଆଦିଲ୍ଲୀରେ ସୁରକ୍ଷିତ ପହଞ୍ଚାଇଥିଲେ; ଯେଉଁଥିପାଇଁ ଇଣ୍ଡୋନେସିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭୂମିପୁତ୍ର’ରେ ସେ ସମ୍ମାନିତ ହୋଇଛନ୍ତି।
୧୯୪୬ ମସିହାରେ ଉତ୍ତର କଟକ ନିର୍ବାଚନ ମଣ୍ଡଳୀରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାରେ ପାଦ ଦେଇଥିଲେ ବିଜୁ ପଟ୍ଟନାୟକ। ୧୯୫୨ ଓ ୧୯୫୭ରେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଓ ସୋରଡ଼ାରୁ ପୁନଃ ନିର୍ବାଚିତ ହୋଇଥିଲେ ଆଧୁନିକ ଓଡ଼ିଶା ଗଠନର ଏହି କିମ୍ବଦନ୍ତୀ ପୁରୁଷ। ୧୯୬୧ରେ ବିଜୁ ବାବୁ ପ୍ରଥମଥର ପାଇଁ ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୭ ଏପ୍ରିଲ୍ ୧୯୯୭ରେ ଏହି ମହାନ ଜନନାୟକ ନୂଆଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଏବଂ ସେହିଠାରେ ହିଁ ହୋଇଥିଲା ଏକ ଯୁଗର ଅବସାନ।