Press Images

  ପ୍ରକାଶିତ :   19-Apr-2024

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଜୟକେତନ ସ୍ୱାଇଁ

କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ବିଜୟକେତନ ସ୍ୱାଇଁଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଓ ରାଜନଗର ବିଜେଡି ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ବିଜୟକେତନ ସ୍ୱାଇଁଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର, ଶ୍ରୀ ଜେନା ଓ ଶ୍ରୀ ସାହୁ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ରାଜନଗର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର, ଶ୍ରୀ ଜେନା ଓ ଶ୍ରୀ ସାହୁ କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜୟ କେତନ ସ୍ୱାଇଁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ପ୍ରଫେସର ଉମେଶ ଚନ୍ଦ୍ର ପରିଡା ଓ ପଟ୍ଟାମୁଣ୍ଡାଇ ନଗର ବିଜେପି ଉପସଭାପତି ଦିବ୍ୟକାନ୍ତ ବିଶ୍ୱାଳଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Other Press Release