Press Images

  ପ୍ରକାଶିତ :   16-Apr-2024

ବିଏସକେୱାଇକୁ ନେଇ ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଓଡ଼ିଶାବାସୀଙ୍କୁ ସଶକ୍ତ କରିଛି ଏବଂ ଆତ୍ମବିଶ୍ୱାସ ଓ ଗ୍ୟାରେଣ୍ଟି ଦେଇଛି ଯେ ସେମାନେ ରୋଗରେ ପୀଡିତ ହେଲେ ସେମାନଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ନିଶ୍ଚିତତା କିମ୍ବା ଗ୍ୟାରେଣ୍ଟି ଅଛି । ସେମାନେ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି ଯାହାର କୌଣସି ସୀମା ନାହିଁ । ଏଥି ସହିତ ବି ଏସ୍ କେ ୱାଇରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କା ରହିଛି । ହେଲେ ଗରିବ ଲୋକଙ୍କୁ ମିଳୁଥିବା ଏହି ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରୁଥିବା କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରୀ ଡାକ୍ତରଖାନାରେ କୌଣସି ସୀମା ନଥାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ବିଏସ୍‍କେୱାଇ ପାଇଁ ଓଡ଼ିଶାରେ ୬୫୨ଟି ଡାକ୍ତରଖାନା ଏବଂ ୧୬ଟି ରାଜ୍ୟରେ ୧୬୪ଟି ପ୍ରମୁଖ ଡାକ୍ତରଖାନା ତାଲିକାଭୁକ୍ତ ହୋଇଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି । ଗତ ବର୍ଷକ ମଧ୍ୟରେ ଓଡ଼ିଶାରେ ୩୬ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି । ବିଏସକେୱାଇ ଯୋଗୁଁ ଓଡ଼ିଶା ଲୋକଙ୍କର ଗୋଟିଏ ବର୍ଷରେ ୩୦୦୦ କୋଟିରୁ ଅଧିକ ଟଙ୍କା ସଞ୍ଚୟ ହୋଇପାରିଛି ଯାହାକୁ ସେମାନେ ନିଜର ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ବ୍ୟବହାର କରିପାରିବେ ।

ଗତ ଏକ ବର୍ଷ ମଧ୍ୟରେ ବିଏସକେୱାଇ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ଓଡ଼ିଶା ବାହାରେ ଚିକିତ୍ସା କରାଯାଇଛି । ବିଏସକେୱାଇ କାରଣରୁ ସେମାନେ ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୩୮୫ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି । କିନ୍ତୁ ଓଡ଼ିଶା ବିଜେପି ବିଧାୟକ ଏବଂ ବିଶେଷ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଯଦି ଓଡ଼ିଶାବାସୀ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡରୁ ଉପକୃତ ହେଉଛନ୍ତି, ତେବେ ଶ୍ରୀ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି ।

ଓଡ଼ିଶାରେ ପ୍ରାୟ ୩୬ ଲକ୍ଷ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଓଡ଼ିଶା ବାହାରୁ ଦେଢ଼ ଲକ୍ଷ ରୋଗୀ ଚିକିତ୍ସିତ ହୋଇଛନ୍ତି । ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କ’ଣ ଚାହୁଁଛନ୍ତି କି, ଏହି ଲକ୍ଷ ଲକ୍ଷ ଓଡିଆମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଯେଉଁ ଚିକିତ୍ସା ସୁବିଧା ପାଉଛନ୍ତି ତାହା ନପାଆନ୍ତୁ ବୋଲି ? ଯଦି ଶ୍ରୀ ପ୍ରଧାନ ଭାବୁଛନ୍ତି ଯେ ବିଏସକେୱାଇ ଏକ ଖରାପ କାର୍ଯ୍ୟକ୍ରମ, ତେବେ ତାଙ୍କ ଦଳର ଇସ୍ତାହାରର ଏକ ନମ୍ବରରେ କୁହନ୍ତୁ ଯେ ସେମାନେ ବିଏସକେୱାଇ ସ୍ୱାସ୍ଥ୍ୟ କାର୍ଡକୁ ବନ୍ଦ କରିଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

Other Press Release