Press Images

  ପ୍ରକାଶିତ :   30-Mar-2024

ବିଜେଡ଼ିରେ ଯୋଗଦେଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓ

ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚନ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା କେ.ସୁରିଆ ରାଓ ଏବଂ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ନାୟକ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ନାୟକ ଓ ଡକ୍ଟର ପାତ୍ର କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କେ. ସୁରିଆ ରାଓ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କୌଣସି ଆଶା ନେଇ ବିଜେଡ଼ିରେ ମିଶିନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ସରପଞ୍ଚ ସର୍ବଶ୍ରୀ ତିଶାନୋ ଭୂୟାଁ, ପିନୋଷ ରାଇତା, ପ୍ରଫୁଲ୍ଲ ଶବର, ମୀନିତା ଭୂୟାଁ, ଏଡ଼ାଙ୍ଗ ଶବର, ସମିତି ସଭ୍ୟ ଲତା ରାଇକା, ନାଏବ ସରପଞ୍ଚ ରାଜେନ୍ଦ୍ର ରାଇକା, ୱାର୍ଡ ମେମ୍ବର ସର୍ବଶ୍ରୀ ଆରତୀ ରାଇତା, ଉମାଶଙ୍କର ଶବର, ଆୟଜ ନାଏକ, ପୂର୍ବତନ ସରପଞ୍ଚ ସର୍ବଶ୍ରୀ ଶୀଳାପାଣି ଭୂୟାଁ, ବଳରାଜ ଚୌଧୁରୀ, ତ୍ରିନାଥ ପ୍ରଧାନ, ପୂର୍ବତନ ସମିତିସଭ୍ୟ ସର୍ବଶ୍ରୀ ଇଶାଦ ଶବର, ଡି. କିରଣ କୁମାର, ସାମସଙ୍ଗ ବଡ଼ନାୟକ, ଶିବୋ କର, ପଲ ପାଣିଙ୍କ ସହ ଶତାଧିକ ନିର୍ବାଚିତ ପ୍ରତିନିଧି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁ ତି ରାଓ ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Other Press Release