Press Images

  ପ୍ରକାଶିତ :   13-Apr-2024

ବିଏସକେୱାଇକୁ ବନ୍ଦ ପାଇଁ ଷଡଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଦଶ ବର୍ଷ କେନ୍ଦ୍ରମନ୍ତ୍ରୀ ଥାଇ ମଧ୍ୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡିଶା ପାଇଁ ଅବଦାନ ଶୂନ। ସାରା ରାଜ୍ୟ କଥା ଛାଡନ୍ତୁ, ନିଜ ଅଞ୍ଚଳ ପାଇଁ କଣ କରିଛନ୍ତି, ତାର ହିସାବ ଦେବାକୁ ସେ ପଛଘୁଞ୍ଚା ଦିଅନ୍ତି। ଆଉ ଏବେ ନିଜର ବିଫଳତାକୁ ଲୁଚାଇବାକୁ ସେ ମିଛ କହିବା ଆରମ୍ଭ କରିଛନ୍ତି, ଯାହା ତାଙ୍କ ମୁହଁରେ ଆଦୌ ଶୋଭାପାଉନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।  

ଡକ୍ଟର ପାତ୍ର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ସାରା ଦେଶରେ ବିଏସକେୱାଇ ଏକ ଶ୍ରେଷ୍ଠ ଯୋଜନା। ଏଥିରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳୁଛି। ଅନ୍ୟ କୌଣସି ରାଜ୍ୟରେ ଏଭଳି ସୁବିଧା ନାହିଁ। ହେଲେ ଏହାକୁ ବନ୍ଦ କରିବାକୁ ଶ୍ରୀଯୁକ୍ତ ପ୍ରଧାନ ରୀତିମତ ଷଡଯନ୍ତ୍ର ଚଳାଇଛନ୍ତି। ସାଧାରଣ ଗରିବ ଲୋକଟିଏ ମାଗଣାରେ ଚିକିତ୍ସା ପାଇଲେ ଶ୍ରୀଯୁକ୍ତ ପ୍ରଧାନଙ୍କୁ କାହିଁକି କଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି। 

ଶ୍ରୀଯୁକ୍ତ ପ୍ରଧାନ ଯଦି ଭାବୁଛନ୍ତି ବିଏସକେୱାଇ ଯୋଜନା ଓଡିଶାବାସୀଙ୍କ ପାଇଁ ଖରାପ ତେବେ ସେ ନିଜ ଦଳର ଇସ୍ତାହାରରେ ୧ ନମ୍ବର ପଏଣ୍ଟରେ କୁହନ୍ତୁ, ଏହି ଯୋଜନାକୁ ବନ୍ଦ କରିଦେବେ। ଥରେ ଏହି ପ୍ରତିଶ୍ରୁତି ଦେଇ ଦେଖନ୍ତୁ, ଓଡ଼ିଶାବାସୀ ତାହାର ଉଚିତ ଜବାବ ଦେଇଦେବେ।

କେନ୍ଦ୍ରରେ ୧୦ ବର୍ଷ ମନ୍ତ୍ରୀ ଥାଇ ମଧ୍ୟ ନିଜ ଅଞ୍ଚଳ ଦେଇ ଯାଇଥିବା ଏନଏଚ-୫୫ର କାମ ସାରି ପାରିଲେ ନାହିଁ। ଆମେ ଆଶା କରୁଛୁ ଆଜି ସେହି ରାସ୍ତା ଦେଇ ଶ୍ରୀଯୁକ୍ତ ପ୍ରଧାନ ଯାଇଥିବେ ଏବଂ ନିଜର ବିଫଳତାକୁ ଅନୁଭବ କରିଥିବେ। ଏହି ରାଜପଥରେ ପ୍ରତିଦିନ ଲୋକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଓ ଦୁର୍ଘଟଣାରେ ପ୍ରତି ବର୍ଷ ଶହ ଶହ ଲୋକ ପ୍ରାଣ ହରାଉଛନ୍ତି। ଯିଏ ସାମାନ୍ୟ ରାସ୍ତା କାମଟିଏ ସାରି ପାରିଲେ ନାହିଁ, ସେ ଏବେ ଲୋକଲଜ୍ଜାରୁ ବଞ୍ଚିବା ପାଇଁ ତୁଛା ଭାଷଣ ମାରୁଛନ୍ତି। ଶ୍ରୀଯୁକ୍ତ ପ୍ରଧାନଙ୍କୁ ଆମର ଅନୁରୋଧ ଦୟାକରି ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକହସା ହେବାରୁ କ୍ଷାନ୍ତ ରୁହନ୍ତୁ।

Other Press Release