ପ୍ରକାଶିତ : 04-Dec-2024
ରାଜ୍ୟବାସୀଙ୍କ ସୁରକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା ହେଉ: ବିଜେଡି
ଓଡ଼ିଶାରେ ପୋଲିସ ମହାନିର୍ଦ୍ଦେଶକମାନଙ୍କ ବୈଠକ ଭୁବନେଶ୍ଵରଠାରେ ହେବା ସମୟରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଭଳି ଦେଶର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ଥିବା ବେଳେ ଆତଙ୍କବାଦ ଧମକ ଆସିବା ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟ ପାଇଁ ଏକ ବିରଳ ଘଟଣା। ମନ୍ଦିର ସହରକୁ ଟେରର ସହରରେ ପରିଣତ କରିବା ପାଇଁ ଖଲିସ୍ଥାନ ଆତଙ୍କବାଦୀ ପନ୍ଧୁ ଧମକ ଦେଇଥିଲା। ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟଭାବେ ପରିଚୟ ଥିବା ବେଳେ ଓଡ଼ିଶାର ଜନ ସାଧାରଣ ମଧ୍ୟ ଶାନ୍ତ ବାତ୍ତାବରଣକୁ ପସନ୍ଦ କରିଥାନ୍ତି। ଏହି ଧମକ ଓଡ଼ିଶାର ଜନ ସାଧାରଣଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଯଦିଓ, ଏହି ଧମକ ଭିଆଇପି ମାନଙ୍କ ଭୁବନେଶ୍ବରରେ ଉପସ୍ଥିତିକୁ ଲକ୍ଷ୍ୟ ରଖି କୁହା ଯାଇଛି ବୋଲି ବିଶ୍ଵାସ କରା ଯାଉଛି, ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ ବୋଲି ବିଜୁ ଜନତା ଦଳ ତରଫରୁ ଏକ ପ୍ରେସ ବାର୍ତାରେ କୁହାଯାଇଛି।
ବିଜେଡି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବାର୍ତାରେ କହିଛନ୍ତି, ରାଜ୍ୟରେ ଆତଙ୍କବାଦ ଧମକ ଘଟଣାକୁ ଗୁରୁତ୍ଵ ଦେଇ ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି। କାରଣ, ଭୂବନେଶ୍ଵର ରାଜ୍ୟର ରାଜଧାନୀ ହୋଇଥିବା ବେଳେ, ପୁରୀ ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ, ଏହି ଧମକ ଆଗକୁ ପର୍ଯ୍ୟଟକମାନଙ୍କ ଆଗମନ ପାଇଁ କଣ୍ଟା ହୋଇପାରେ। ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ନେଇ ଏହି ଧମକର ପୃଷ୍ଠଭୂମି ଉପରେ, ସବିଶେଷ ତଥ୍ୟ ସଂଗ୍ରହ କରିବା ପାଇଁ, ଏକ ସ୍ଵତନ୍ତ୍ର ଅନୁସନ୍ଧାନ ଟିମ ଗଠନ କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ, ଏହି ଧମକ ବିଷୟରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ଟିମ ଦ୍ଵାରା ତଦନ୍ତ ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ବୋଲି ଡ଼ଃ ମହାନ୍ତି କହିଛନ୍ତି।