Press Images

  ପ୍ରକାଶିତ :   24-Nov-2024

ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ମାଇନରିଟି ସେଲ୍‌ର ଗଣଧାରଣା

ୱାକଫ ବିଲ୍‌ରେ ପରିବର୍ତ୍ତନକୁ ବିରୋଧ କରି ବିଜେଡି ମାଇନରିଟି ସେଲ୍‌ର ଗଣଧାରଣା ଓ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ର ସରକାରଙ୍କ ଦ୍ୱାରା ୱାକଫ ବୋର୍ଡରେ ପ୍ରସ୍ତାବିତ ପରିବର୍ତ୍ତନକୁ ବିରୋଧ କରି ବିଜୁ ଜନତା ଦଳର ମାଇନରିଟି ସେଲ ତରଫରୁ ରାଜଭବନ ନିକଟ ଭୁବନେଶ୍ୱର ସ୍ପେଶାଲ ସର୍କିଟ୍ ହାଉସ୍ ସମ୍ମୁଖରେ ଆଜି ଏକ ଗଣଧାରଣା ଦିଆଯାଇଥିଲା। ଏହି ସମ୍ୱନ୍ଧରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଏକ ସ୍ମାରକପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ମାଧ୍ୟମରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଗଲା। 

ୱାକଫ ବିଲ୍ ମାଧ୍ୟମରେ ପ୍ରସ୍ତାବିତ ପରିବର୍ତ୍ତନ ଗୁଡିକ କେନ୍ଦ୍ର ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ଏକତରଫା ଭାବେ ନିଆଯାଇଛି ଓ କୌଣସି ପକ୍ଷର ମତାମତ ନିଆଯାଇ ନାହିଁ ବୋଲି ସ୍ମାରକପତ୍ରରେ କୁହାଯାଇଛି। ସମସ୍ତ ୱାକଫ ସମ୍ପତ୍ତି ଗୁଡିକ, ଯାହାକୁ ସର୍ଭେ କରାଯାଇଛି, ସେଗଡୁ ିକ ୱାକଫ ବୋର୍ଡର ସମ୍ପତ୍ତି ଭାବେ ରହିବା ନିହାତି ଆବଶ୍ୟକ। ଏହାର ସ୍ଥିତି ଉପରେ କୌଣସି ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ପ୍ରସ୍ତାବିତ ୱାକଫ ବିଲ୍‌ରେ ଜିଲ୍ଲାପାଳ ମାନଙ୍କୁ ଅଧିକାର ଦିଆଯାଇଛି ଯେ ସେମାନେ ସ୍ଥିର କରିବେ ସମ୍ପତ୍ତିର ମାଲିକାନା କାହାର, ଯାହା ଗ୍ରହଣୀୟ ନୁହେଁ ବୋଲି ସ୍ମାରକପତ୍ରରେ କୁହାଯାଇଛି। ସେହିପରି, ପ୍ରସ୍ତାବିତ ୱାକଫ ବିଲ୍‌ରେ ୱାକଫ ବୋର୍ଡ ଗୁଡିକୁ ପରିବର୍ତ୍ତନ କରାଯାଇ ସେଥିରେ ଅଣମୁସଲିମ ମାନଙ୍କୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ପ୍ରସ୍ତାବକୁ ବିରୋଧ କରାଯାଇଛି। ହିନ୍ଦୁ ସମ୍ପ୍ରଦାୟର ଅନୁଷ୍ଠାନ ଗୁଡିକରେ ଅଣହିନ୍ଦୁ ମାନଙ୍କୁ ସ୍ଥାନ ଦିଆଯିବାର କୌଣସି ବ୍ୟବସ୍ଥା ନଥିବା ବେଳେ ଏହି ପ୍ରସ୍ତାବ ମୁସଲିମ ସମ୍ପ୍ରଦାୟ ପାଇଁ ଲାଗୁ କରିବା ଯୁକ୍ତିଯୁକ୍ତ ନୁହେଁ। 

ସ୍ମାରକପତ୍ରରେ କୁହାଯାଇଛି, ୱାକଫ ବିଲ୍ ମାଧ୍ୟମରେ ପ୍ରସ୍ତାବିତ ପରିବର୍ତ୍ତନ ଭାରତର ମୁସଲମାନ ସମ୍ପ୍ରଦାୟର ସାମ୍ୱିଧାନିକ ଅଧିକାର ଉପରେ କୁଠାରଘାତ ସଦୃଶ୍ୟ। ରାଷ୍ଟ୍ରପତି ମହୋଦୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଏହି ବିବାଦୀୟ ବିଲ୍‌କୁ ଫେରସ୍ତ ନିଆଯାଉ ବୋଲି ମାଇନରିଟି ସେଲ୍ ତରଫରୁ ଦାବି କରାଯାଇଛି। 

ବିଜୁ ଜନତା ଦଳର ମାଇନରିଟି ସେଲର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ମୁନ୍ନା ଖାନଙ୍କ ନେତୃତ୍ୱରେ ଗଣଧାରଣା ଆୟୋଜନ ହୋଇଥିବା ବେଳେ, ଏଥିରେ ଉପାଧ୍ୟକ୍ଷ ଏମ୍‌ଡି ମୋବିନ, ଏସ୍‌କେ ସିରାଜ, ରାଜ୍ୟ ସାଧାରଣ ସମ୍ପାଦକ ଏମଡି ଦିଲସାଦ, ଏସ୍‌କେ ଅହମ୍ମଦ ଅଲ୍ଲୀ, ଏସ୍‌କେ ଫୈୟାଜ୍‌, ରାଜ୍ୟ ସମ୍ପାଦକ ଏସ୍‌କେ ଅବଦୁଲ୍ଲା, ଏମ୍‌ଡି ଫାରୁକ, ଏମ୍‌ଡି ରଫିକ୍‌, ଏମ୍‌ଡି ଇସଲାମ୍‌, ହବିବୁଲ୍ଲା ଖାନ୍‌, ଏସ୍‌କେ ଦିଲଦାର, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚନ୍ଦନ ଖାନ, ଜଲାଲ ଖାନ, ଇକରାମ ହୁସେନ, ଭଦ୍ରକ ପୌର ଅଧ୍ୟକ୍ଷା ଗୁଲ୍‌ମାକି ହବିବ୍‌, ପିପିଲି ପୌର ଅଧ୍ୟକ୍ଷ ଏସ୍‌କେ ବାବୁ, ନୂଆପଡ଼ା ପୌର ଅଧ୍ୟକ୍ଷ ଆଦାମ ଖାନ, ଉର୍ଦ୍ଦୁ ଏକାଡ଼େମୀ ସଦସ୍ୟ କାଜମ ମଦାନୀ, ସୋଫିଆ ଆଲାମ, ଫତିମା ବେଗମ, ଆର୍ସିଆ ବେଗମ, ଅମିର ଅଲ୍ଲୀ, ଅଶଫର ଇକବାଲ, ଅଜିଜ ଅହମ୍ମଦ, ଏସ୍‌କେ ରଶିଦ ଇତ୍ୟାଦି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Other Press Release