Press Images

  ପ୍ରକାଶିତ :   15-Nov-2024

ଅଭିଯୁକ୍ତ ବିଜେପି ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉଛନ୍ତି

ବିଜେପିର ବରିଷ୍ଠ ନେତା ତଥା ସମ୍ୱଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ସର୍ବୋଚ୍ଚ ନ୍ୟାୟାଳୟରେ ଖାରଜ ହୋଇଯିବା ପରେ ଗଣମାଧ୍ୟମରେ ସେ ଦେଇଥିବା ବୟାନ ଉପରେ ବିଜୁ ଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ପ୍ରତାପ ଦେବ ଏହା ତାଙ୍କ ଅହଂକାର କହିବା ସହିତ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା ପରେ ଶ୍ରୀ ମିଶ୍ର ଏଭଳି ମନ୍ତବ୍ୟ ଦେଇ ସେ ପରୋକ୍ଷରେ ଦାବି କରୁଛନ୍ତି ଯେ, ସେ ଆଇନ୍‌ରୁ ଊର୍ଦ୍ଧ୍ୱରେ। ଆଇନ ସମସ୍ତଙ୍କ ପାଇଁ ସମାନ ଉକ୍ତିଟିକୁ ରାଜ୍ୟ ବିଜେପି ସରକାର ଭୁଲ ବୋଲି ପ୍ରମାଣିତ କରିଛନ୍ତି। ଅଭିଯୁକ୍ତ ଯଦି ବିଜେପି ସଦସ୍ୟ ତା ପାଇଁ ଆଇନ୍‌ଟା ଅଲଗା ହେଉଛି। ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଅର୍ଥ ରାଜ୍ୟର ଆଇନ୍ ସାଧାରଣ ନାଗରିକଙ୍କ ପାଇଁ ଅଲଗା ଓ ବିଜେପି ସଦସ୍ୟ ମାନଙ୍କ ପାଇଁ ଅଲଗା। 

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଅଛନ୍ତି ଏବଂ ଅଭିଯୁକ୍ତ ଗିରଫ ହୋଇପାରୁନାହିଁ। ଏହା କ’ଣ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଉ ନାହିଁ କି ? ତେଣୁ, ସର୍ବୋଚ୍ଚ ନ୍ୟାୟାଳୟର ରାୟ ପ୍ରକାଶ ପାଇବା ପରେ, ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏହି କେସ୍‌ରେ କ’ଣ ଅଛି, ତାହା ସ୍ପଷ୍ଟ ହେବା ଦରକାର। ପୂର୍ବରୁ ଆମେ ଦେଖିଥିଲେ, ଜଣେ ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବାର ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ପରିସ୍ଥିତି ଏପରି ଜାରି ରହିଲେ, ପୋଲିସ ଆଗାମୀ ଦିନରେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ସଫଳ ହେବ ନାହିଁ। ଓଡ଼ିଆ ଅସ୍ମିତାକୁ ନାରା କରି କ୍ଷମତାକୁ ଆସିଥିବା ବଜେପି ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରୁଛି। ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ପରାକାଷ୍ଠା ସାମ୍ନାକୁ ଆସିବା ଦରକାର। ଓଡ଼ିଶାବାସୀ ଚାହିଁ ରହିଛନ୍ତି ଏହି କେସ୍‌ରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଉଛନ୍ତି। ତେଣୁ ରାଜ୍ୟ ସରକାର ତାଙ୍କର ଆଭିମୁଖ୍ୟ ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ଦେବ କହିଥିଲେ ।

Other Press Release