ପ୍ରକାଶିତ : 20-Nov-2024
ଆଦିବାସୀଙ୍କ ଉପରେ ଅତ୍ୟାଚାରର ସଦ୍ୟତମ ଉଦାହରଣ
ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କ ପ୍ରତି ଜାତିଆଣ ଆକ୍ଷେପ ସହ ତାକୁ ଜୋର ଜବରଦସ୍ତ ବିଷ୍ଠା ଖୁଆଇବା ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ରାଜ୍ୟରେ ବିଜେପି ସରକାର କ୍ଷମତାରେ ଆସିବା ଦିନଠାରୁ ଆଦିବାସୀଙ୍କ ସୁରକ୍ଷା ବିପଦରେ ପଡିଛି ବୋଲି ଆଜି ବିଜୁ ଜନତା ଦଳ ତରଫରୁ ଅଭିଯୋଗ କରାଯାଇଛି। ରାଜ୍ୟରେ ଆଦିବାସୀମାନଙ୍କ ସୁରକ୍ଷା ପାଇଁ ବିଜେପି ସରକାରଙ୍କ ଆଦୌ ପ୍ରାଥମିକତା ନାହିଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି କହିଛନ୍ତି, ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତି ଉପରେ ବର୍ଷିଛନ୍ତି। ଗତ ୧୬ ତାରିଖରେ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଏକ ଆଦିବାସୀ ଯୁବତୀ ଗାଧୋଇ ସାରି ଘରକୁ ଫେରିବା ବାଟରେ ଅଭୟ ବାଗ ନାମକ ଏକ ଯୁବକ ତାଙ୍କୁ ଅଟକାଇ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିଲା। ତାକୁ ଜାତିଆଣ ଆପେକ୍ଷ କରିବା ଓ ତା ମୁହଁରେ ଜୋର କରି ବିଷ୍ଠା ଖୁଆଇଦେବା ଭଳି ଅମାନବୀୟ କାଣ୍ଡ ଭିଆଇଥିଲା। ଯୁବତୀ ଜଣଙ୍କ ଚିତ୍କାର ଶୁଣି ତାର ବଡ଼ ମା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଯୁବକ ଜଣକ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ତଣ୍ଟିଚିପି ମାରି ଦେବାକୁ ଚେଷ୍ଟା କରିଥିଲା। ଯୁବତୀ ଓ ତାର ବଡ଼ ମାଙ୍କ ଦ୍ଵାରା ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିବାର ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇନାହିଁ।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ଦିନଠାରୁ, ଦିନକୁ ଦିନ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା, ଶୋଷଣ, ଦମନ ଓ ନୃଶଂସ ଆଚରଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଅତ୍ୟାଚାର ଓ ନିର୍ଯ୍ୟାତନାର ଶିକାର ହେଉଥିବା ଆଦିବାସୀମାନଙ୍କ ଅଭିଯୋଗକୁ ସରକାର ଗୁରୁତ୍ଵ ଦେଉନାହାନ୍ତି, ଯାହା ଫଳରେ ଅଭିଯୁକ୍ତମାନେ ଛାତି ଫୁଲାଇ ବାହାରେ ବୁଲୁଛନ୍ତି। ଆଦିବାସୀମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ବିଶି କହିଛନ୍ତି।