Press Images

  ପ୍ରକାଶିତ :   27-May-2024

ନିର୍ବାଚନ ଆସିଲେ ଚାଷୀଙ୍କୁ ନେଇ କୁମ୍ଭୀର କାନ୍ଦଣା ଓଡିଶା ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ପଦମପୁର ଉପନିର୍ବାଚନ ହାରିବା ପରେ ମାନସିକ ଭାରସାମ୍ୟ ହରାଇ ବସିଥିବା ଶ୍ରୀ ପ୍ରଦୀପ ପୁରୋହିତ୍‌, ୨୦୨୪ ନିର୍ବାଚନ ହାରିବାକୁ ଯାଉଥିବା ଜାଣି ପାଗଳର ପ୍ରଳାପ ଆରମ୍ଭ କରିଦେଇଛନ୍ତି । କିଛି ନେତା ଥାଆନ୍ତି, ଯେଉଁମାନେ ମୁହଁ ଖୋଲିଲେ କେବଳ ଅଶାଳୀନ ମନ୍ତବ୍ୟ, ଅଶୋଭନୀୟ ବକ୍ତବ୍ୟ ଓ କଦର୍ଯ୍ୟ କଥା କହିଥାନ୍ତି । ସେହିଭଳି ଜଣେ ନେତା ହେଉଛନ୍ତି ଶ୍ରୀ ପ୍ରଦୀପ ପୁରୋହିତ । ଚଳିତ ନିର୍ବାଚନରେ ସେ ନିଜର ଏବଂ ଓଡିଶା ବିଜେପିର ପରାଜୟକୁ ନେଇ ଅତ୍ୟନ୍ତ ଭୟଭୀତ ହୋଇ ପଡିଥିବା, ତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଭାବେ ଜଣାପଡୁଥିଲା ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର ।

ଶ୍ରୀ ମହାପାତ୍ର କହିଛନ୍ତି, ବିଜେଡି ବିରୁଦ୍ଧରେ ଅଭିଯୋଗ ଆଣିବା ଆଗରୁ ଶ୍ରୀ ପୁରୋହିତଙ୍କ ନିକଟରେ ସାମାନ୍ୟତମ ଲଜ୍ଜା ରହିବାର ଆବଶ୍ୟକତା ରହୁଛି । ଓଡିଶା ହେଉଛି ଦେଶରେ ଏକମାତ୍ର ରାଜ୍ୟ ଯିଏ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିଛି । ଗତ ୫ ବର୍ଷରେ ୬୪ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ଟଙ୍କା କାଳିଆ ସହାୟତା ପ୍ରଦାନ କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରି କାର୍ଯ୍ୟକାରୀ ହୋଇଛି ।

ଅପରପକ୍ଷରେ ଶ୍ରୀ ପ୍ରଦୀପ ପୁରୋହିତ୍ ହୁଅନ୍ତୁ କିମ୍ବା ଓଡିଶା ବିଜେପି, ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାରେ ବିଫଳ ହୋଇଛନ୍ତି । ୨୦୧୭ ମସିହାରେ ଓଡିଶା ବିଧାନସଭାରେ ଏନେଇ ସର୍ବସମ୍ମତ କ୍ରମେ ସଂକଳ୍ପ ପାରିତ ହୋଇଥିଲା । ବର୍ଷ ବର୍ଷ ଧରି କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିଲେ ମଧ୍ୟ ତାକୁ ପ୍ରତ୍ୟାହାର କରିନାହାନ୍ତି । ଫସଲ ବୀମା ବାବଦ ଅର୍ଥ ଚାଷୀଙ୍କୁ ପ୍ରଦାନ କରାଯାଇନି କିମ୍ବା ଚାଷୀଙ୍କୁ ଠିକ୍ ସମୟରେ ସାର ମଧ୍ୟ ଯୋଗାଇ ପାରିନାହାନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେଇ ବିଫଳ ହୋଇଛନ୍ତି । ନିର୍ବାଚନ ସମୟରେ ଯେଉଁ କେନ୍ଦ୍ରୀୟ ନେତା ଓଡିଶାକୁ ପର୍ଯ୍ୟଟକ ନେତା ଭାବେ ଆସୁଛନ୍ତି, ସେମାନେ ଏସବୁ ବିଫଳତା ଉପରେ ଉତ୍ତର ରଖିବାର ଆବଶ୍ୟକତା ରହୁଛି ।

ନିର୍ବାଚନ ଆସିଲେ ଚାଷୀଙ୍କ ପ୍ରସଙ୍ଗକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦିବା ଓ ପରେ ସେମାନଙ୍କୁ ଭୁଲିଯିବା ପ୍ରଦୀପ ପୁରୋହିତ ଏବଂ ଓଡିଶା ବିଜେପି ନେତାଙ୍କ ପୁରୁଣା ଅଭ୍ୟାସ । ସେହି ସମାନ କାର୍ଯ୍ୟ ସେମାନେ ଏବେ କରୁଛନ୍ତି । ଓଡିଶାର ଚାଷୀ, ଓଡିଶା ବିଜେପିର ଏଭଳି କୁମ୍ଭୀର କାନ୍ଦଣାକୁ ବେଶ୍ ଭଲ ଭାବେ ଜାଣିଛନ୍ତି । ସେଥିପାଇଁ ବାରମ୍ବାର ଓଡିଶା ବିଜେପି ଏବଂ ପ୍ରଦୀପ ପୁରୋହିତଙ୍କୁ ପ୍ରତ୍ୟାଖିତ କରି ଆସୁଛନ୍ତି । ୨୦୨୪ରେ ମଧ୍ୟ ଚାଷୀ ଭାଇ ଏମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Other Press Release